Unknown

 

 

 

 

 

 

 

 

 

ଜୟମଙ୍ଗଳାଷ୍ଟକ

ଭକ୍ତକବି ମଧୁସୂଦନ ରାଓ

 

(ଢେଙ୍କାନାଳ ରାଜ୍ୟର ମହୀପତି ଶ୍ରୀ ଶ୍ରୀ ରାଜା ଶୂରପ୍ରତାପ ମହୀନ୍ଦ୍ର ବାହାଦୂର ମହୋଦୟଙ୍କ ଶୁଭ - ରାଜ୍ୟ - ସଂପ୍ରାପ୍ତି - ଉତ୍ସବ ।)

(ରସକୁଲ୍ୟା ବୃତ୍ତ)

ଜୟ ଜୟ ନବ ଅବନୀପତି !

ଶ୍ରୀ ଶୂରପ୍ରତାପ ଦେବ ସୁମତି !

ଢେଙ୍କାନାଳ ରାଜ୍ୟ ମଣ୍ଡଳେଶ୍ୱର !

ଘେନି ଆଜ ରାଜ – ଦଣ୍ଡ ଭାସ୍ୱର

ଶୁଭ ରାଜ – ସିଂହାସନେ

ବିରାଜ ଭୋ ଦେବ, ରାଜଗୌରବରେ

ରାଜଲକ୍ଷ୍ମୀ – ଆମନ୍ତ୍ରଣେ ।୧।

 

ଦିବ୍ୟ ରାଜଛତ୍ର ରାଜମସ୍ତକେ

ରାଜୁ ହେ ରାଜନ, ସ୍ୱର୍ଣ୍ଣ ଝଟକେ,

ଢାଳନ୍ତୁ ପ୍ରଜାଏ ରାଜ–ଚାମର,

ରାଜମନ୍ତ୍ରୀ ରାଜ–ଭୃତ୍ୟନିକର

ବହନ୍ତୁ ରାଜ–ଶାସନ,

ରାଜ–ପୁରାହିତେ ଅଭିଷେକ–ମନ୍ତ୍ର

କରନ୍ତୁ ହେ ଉଚ୍ଚାରଣ ।୨।

 

ରାଜମାର୍ଗେ ଆଜ ରାଜଧାନୀର

ବିରାଜୁ ପତାକା–ଶ୍ରେଣୀ ରୁଚିର,

ମଙ୍ଗଳ ବାଜଣା ବାଜୁ ନଗରେ

ମୃଦଙ୍ଗ ମର୍ଦ୍ଦଳ ମୁରଲୀ ସ୍ୱରେ,

ମଧୁର ସଙ୍ଗୀତତାନେ

ରାଜପୁରୀ ପୂର୍ଣ୍ଣ ହେଉ ଶୁଭ କ୍ଷଣେ

ଦିବ୍ୟ ତାଳ–ଲୟ–ମାନେ ।୩।

 

ଜୟ ଜୟ ଜୟ ନବ ନୃପତି !

ଶ୍ରୀ ଶୂରପ୍ରତାପ ଦେବ ସୁମତି !

ଏ ଘୋଷଣା ଗାଉ ମହାକଲ୍ଲୋଳେ

ବ୍ରାହ୍ମଣୀ ସରିତ ସଲିଳ – ରୋଳେ ।

ଏ ଶୁଭ ଘୋଷଣା ରଙ୍ଗେ

କପିଳାସ ଗିରି ଗାଉ ମହାଘୋଷେ

ବନ ପ୍ରସ୍ରବଣ ସଙ୍ଗେ ।୪।

 

ଜୟ ଜୟ ଜୟ ନବ ନୃପତି

ଶ୍ରୀ ଶୂରପତି ଦେବ ସୁମତି !

ପୂଜ୍ୟ ଭାଗୀରଥ – କୁଳମଣ୍ଡନ !

ଦୟାସିନ୍ଧୁ ଦୀନ – ବନ୍ଧୁ ନନ୍ଦନ !

ପରଜା – ପାଳନ ବ୍ରତେ

ରାଜ୍ୟଭାର ଘେନି ରତ ହୁଅ ନିତ୍ୟ

ପୂଣ୍ୟ ରାଜନୀତି – ମତେ ।୫।

 

ମହାରାଜ ବଂଶ ବିପୁଳ ନାମ,

ମହାରାଜ ଲକ୍ଷ୍ମୀ ଉଦାର ଧାମ

ଶ୍ରୀଛାମୁଙ୍କ ରାଜ – କରରାଜୀବେ

ରାଜୁ ହେ ଯଶର ପୁଣ୍ୟ ତ୍ରିଦିବେ,

ଫେଡ଼ି ଦେଶର ଦୁର୍ଗତି

ବିସ୍ତାର ଭୋ ଦେବ ଉତ୍କଳ – ଭୁବନେ

ବିପୁଳ ରାଜକୀରତି ।୬।

 

ମହାପ୍ରଭୁ ସତ୍ୟ – ଶିବ – ସୁନ୍ଦର

ମଙ୍ଗଳବିଧାତା ବ୍ରହ୍ମାଣ୍ଡେଶ୍ୱର

ମହିମାର ସ୍ୱାମୀ ଦୟାସାଗର

ପୂର୍ଣ୍ଣ କରନ୍ତୁ ଶ୍ରୀ – ଛାମୁ – ଅନ୍ତର

ସତ୍ୟ ମଙ୍ଗଳ ସମ୍ପଦେ;

ପୁଣ୍ୟ ରାଜୈଶ୍ୱର୍ଯ୍ୟେ ହୋଇ ବିଭୂଷିତ

ବନ୍ଦ ବିଶ୍ୱପତି ପଦେ ।୭।

 

ଅନନ୍ତ ବିଧାତା ବ୍ରହ୍ମାଣ୍ଡପତି

ଶ୍ରୀପଦକମଳେ ରଖି ସୁମତି

ତାଙ୍କ ନ୍ୟାୟ ଦୟା ହୃଦୟେ ଧରି,

ଅନୁକ୍ଷଣ ରାଜ – ବ୍ରତ ଆଚରି

ଲଭ ହେ ଦେବ – ପ୍ରସାଦ,

ଶୁଭ ରାଜ୍ୟଲାଭେ ଶୁଭକାଙ୍‌କ୍ଷୀ କବି

ଗୀତେ ଭଣେ ସ୍ୱସ୍ତିବାଦ ।୮।

Image